ଦେବାଦେବୀଙ୍କ ପ୍ରତୀକ ଚୋରି ପ୍ରତିବାଦରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ
(ଲିଖିତ ଅଭିଯୋଗ ଦେବା ସତ୍ତ୍ୱେ ପ୍ରଶାସନ ନୀରବ)
ସାରସକଣା:୧୨/୦୩ (ପ୍ରଶାନ୍ତ କୁମାର ସାମନ୍ତରାୟ)
ମୟୂରଭଞ୍ଜ ଜିଲ୍ଲା ଝାରପୋଖରୀଆ ଥାନା ଅନ୍ତର୍ଗତ ପୋଖରିଆ ଗ୍ରାମ ପଞ୍ଚାୟତ ଢାଳଙ୍ଗସାହି ଗ୍ରାମର ଗ୍ରାମମୁଖ୍ଯ ବାଘ୍ରାୟ ବାସ୍କେ (ମାଝୀବାବା) ଙ୍କ ତତ୍ତ୍ୱାବଧାନରେ ଢାଳଙ୍ଗସାହି ଅଙ୍ଗନୱାଡି କେନ୍ଦ୍ର ପଡ଼ିଆ ଠାରେ ଆଜି ୧୨ ତାରିଖ ଗୁରୁବାର ଦିବା ୧୧ ଘଟିକା ସମୟରେ ସାର୍ନା ଧର୍ମର ଧାର୍ମିକ ସ୍ଥଳ ଜାହେର ଗାଳରୁ ଦେବାଦେବୀଙ୍କୁ ଚୋରି ଏବଂ ଅପମାନ କରାଯାଇଥିବା ପ୍ରତିବାଦରେ ଆନ୍ଦୋଳନ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟବକ୍ତା ଭାବରେ ନାରାନଡିହି ଗ୍ରାମର ନାରାନ ମୁର୍ମୁ (ମାଝୀବାବା) ଓ ଲକ୍ଷ୍ମଣ କୁମାର ମୁର୍ମୁ (ନାୟକେବାବା) ଉପସ୍ଥିତ ଥିଲେ। ସୂଚନା ଅନୁଯାୟୀ ଗତ ୨୧ ଫେବୃୟାରୀରେ ନାରାନଡିହି ଗ୍ରାମର ଜାହେର ଗାଳରୁ ଇଷ୍ଟଦେବତା ମାରାଂବୁରୁ, ଜାହେର ଆୟ, ମଣେକ ତୁରୁୟକଙ୍କର ପ୍ରତୀକ (ପାଷାଣ) ଚୋରି ହୋଇ ହନୁମାନ ଫୋଟ ସହିତ ଗେରୁଆ ବସ୍ତ୍ର ଲଗାଯାଇ ଅନ୍ୟାୟ, ଅତ୍ୟାଚାର ଏବଂ ଅପମାନ କରାଯାଇଥିବା ମାମଲାରେ ମାଝୀବାବା ଶ୍ରୀ ନାରାନ ମୁର୍ମୁଙ୍କ ନେତୃତ୍ୱରେ ଗତ ୨ ମାର୍ଚ୍ଚରେ ଝାରପୋଖରୀଆ ଥାନାଧିକାରୀଙ୍କୁ ଲିଖିତ ଅଭିଯୋଗ ଦିଆଯିବା ସତ୍ତ୍ୱେ ଏଫଆଇଆର ପଞ୍ଜିକରଣ କରାନଯାଇଥିବା ଯୋଗୁଁ ଆଦିବାସୀ ସମାଜରେ ଆକ୍ରୋଶ ଏବଂ ଅସନ୍ତୋଷ ଦେଖାଦେଇଛି । ତେଣୁ ଆସନ୍ତା ମାର୍ଚ୍ଚ ୨୩ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଧାର୍ମିକ ସ୍ଥଳ ଜାହେର ଗାଳରେ ଦେବଦେବୀଙ୍କ ସୁରକ୍ଷା କରାଯିବା ଏବଂ ସାର୍ନା ଧର୍ମର ସରକାରୀ ମାନ୍ୟତା, ଜୈନ ମାନଙ୍କ କବଳରୁ ମାରାଂବୁରୁଙ୍କୁ ମୁକ୍ତ କରାଯିବା ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବାର ନିଷ୍ପତି ନିଆଯାଇଛି । ତତ୍ ସହିତ ମୟୁରଭଞ୍ଜର ସମସ୍ତ ଆଦିବାସୀ ଗ୍ରାମର ମାଝୀବାବା ସହ ଗ୍ରାମବାସୀ ଏବଂ ସମସ୍ତ ଆଦିବାସୀ ସାମାଜିକ ସଂଗଠନ ତଥା ଆଦିବାସୀ ସେଙ୍ଗେଲ ଅଭିଯାନ, ମାଝୀ ପାର୍ଗାନା ମହଲ, ଆସେକା, ପେସା କମିଟି, ମାସା, ମାରିସା ଆଦି ସଂଗଠନ ମାନେ ଏକତ୍ରିତ ହୋଇ ଆନ୍ଦୋଳନରେ ସାମିଲ ହେବାକୁ ଉକ୍ତ ବୈଠକରୁ ଆହ୍ୱାନ କରାଯାଇଛି । ଉକ୍ତ ବୈଠକରେ ସୁନ୍ଦର ମୋହନ ହାଁସଦାଃ, ଖୁଦିରାମ ଟୁଡୁ, ସାଗ୍ରାମ ମୁର୍ମୁ, କହ୍ନେଇ ହାଁସଦାଃ,କାଳିଚରଣ ଟୁଡୁ ସମେତ ୬୪ ଜଣ ଗ୍ରାମବାସୀ ଉପସ୍ଥିତ ଥିଲେ।