Header-News-Banner

ବିରାଟ ଗର୍ତ୍ତରେ ପରିଣତ ପିଚୁ ରାସ୍ତା, ଯାତାୟାତ ଠପ୍

0
401350fa-a183-4ce6-ba78-58d7beb23150

ପ୍ରଶାସନର ଦୃଷ୍ଟି କେବେ ପଡ଼ିବ?

କେନ୍ଦୁଝର . (କଳିଙ୍ଗ ଫୋକସ )ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅଧୀନ ପିଠାଗୋଳା ଅନ୍ତର୍ଗତ ବାଲିସାହି ଠାରୁ ତମ୍ବାହରା ଜଳବୁଡ଼ି ସାହି ଦେଇ ବାଲିପୋଷି ଗ୍ରାମକୁ ଯାଇଥିବା ପିଚୁ ରାସ୍ତା ବର୍ତ୍ତମାନ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପହଞ୍ଚିଛି। ବାତ୍ୟା ଓ ପ୍ରବଳ ବର୍ଷା ପରେ ରାସ୍ତାର ବିଭିନ୍ନ ସ୍ଥାନରେ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ଯାତାୟାତ ବ୍ୟବସ୍ଥା ଏକପ୍ରକାର ଠପ୍ ହୋଇପଡ଼ିଛି।

ଏହି ରାସ୍ତା ଉପରେ ବାଲିସାହି, ତମ୍ବାହରା ଜଳବୁଡ଼ି ସାହି ସମେତ ବାଲିପୋଷି ଓ ଆଖପାଖ ଅଞ୍ଚଳର ଲୋକମାନେ ଦୈନନ୍ଦିନ ଯାତାୟାତ ପାଇଁ ନିର୍ଭର କରିଥାନ୍ତି। ରାସ୍ତାରେ ବଡ଼ ବଡ଼ ଖାଲଖମା ହୋଇଥିବାରୁ ଦୁଇଚକିଆ ଓ ଚାରିଚକିଆ ଯାନ ଚଳାଚଳରେ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ବର୍ଷା ସମୟରେ ଗର୍ତ୍ତଗୁଡ଼ିକରେ ପାଣି ଜମି ରହୁଥିବାରୁ ରାସ୍ତାର ପ୍ରକୃତ ଅବସ୍ଥା ଜଣାପଡ଼ୁନାହିଁ। ଫଳରେ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବାତ୍ୟା ପରେ ତମ୍ବାହରା ଜଳବୁଡ଼ି ସାହିଠାରୁ ବାଲିପୋଷି ଗ୍ରାମକୁ ଯାଇଥିବା ରାସ୍ତାର ଅବସ୍ଥା ଆହୁରି ଖରାପ ହୋଇଛି। ରାସ୍ତାରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର ମରାମତି ହୋଇନାହିଁ। ଦୀର୍ଘଦିନ ଧରି ରାସ୍ତା ଖାଲଖମାରେ ପରିଣତ ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଓ ପ୍ରଶାସନର ଦୃଷ୍ଟି ଏଥିପ୍ରତି ପଡ଼ୁନଥିବା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ରାସ୍ତାର ଏଭଳି ଦୁରବସ୍ଥା ଯୋଗୁଁ ଜରୁରୀ ସମୟରେ ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ ଓ ଅନ୍ୟାନ୍ୟ ଯାନବାହନ ଯାତାୟାତରେ ମଧ୍ୟ ସମସ୍ୟା ଉପୁଜିପାରେ। ଛାତ୍ରଛାତ୍ରୀ, ଚାକିରିଜୀବୀ, ଚାଷୀ ଓ ସାଧାରଣ ଲୋକେ ପ୍ରତିଦିନ ଏହି ରାସ୍ତା ଦେଇ ଯାତାୟାତ କରୁଥିବାରୁ ରାସ୍ତା ମରାମତି ନହେଲେ ଆଗାମୀ ଦିନରେ ସମସ୍ୟା ଆହୁରି ଗୁରୁତର ହେବାର ଆଶଙ୍କା ରହିଛି।

ଏନେଇ ଅଞ୍ଚଳବାସୀ ବିଭାଗୀୟ ଅଧିକାରୀ ଓ ପ୍ରଶାସନ ନିକଟରେ ତୁରନ୍ତ ରାସ୍ତାର ଗର୍ତ୍ତଗୁଡ଼ିକ ପୋତିବା ସହ ଆବଶ୍ୟକ ସ୍ଥାନରେ ରାସ୍ତାର ସ୍ଥାୟୀ ମରାମତି କରିବାକୁ ଦାବି କରିଛନ୍ତି। ଲୋକଙ୍କ ଦାବି ପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ରାସ୍ତା ସମସ୍ୟାର ସମାଧାନ କଲେ ଅଞ୍ଚଳବାସୀଙ୍କ ଯାତାୟାତରେ ସୁବିଧା ହୋଇପାରନ୍ତା। ତେବେ ଏତେ ବଡ଼ ବଡ଼ ଖାଲଖମା ହେବା ପରେ ମଧ୍ୟ ପ୍ରଶାସନର ନଜର କାହିଁକି ପଡ଼ୁନାହିଁ, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

Spread the love

Leave a Reply

Your email address will not be published. Required fields are marked *