ପକ୍ଷାଘାତ ପୀଡ଼ିତ ଠାକୁର ରାଜା ନିରଞ୍ଜନଙ୍କୁ ଭେଟିଲେ ଜଗତସିଂହପୁର ସାଂସଦ
ଏରସମା:(ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ( ଦୀର୍ଘବର୍ଷ ଧରି ପକ୍ଷାଘାତରେ ପୀଡ଼ିତ ଏରସମାର ଠାକୁର ରାଜା ନିରଞ୍ଜନ ପ୍ରସାଦ ଦାସଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରାଇ। ରାଜା ନିରଞ୍ଜନ ପ୍ରସାଦ ଦାସ ଏରସମାର ଆରାଧ୍ୟ ଦେବତା ପ୍ରଭୁ ବ୍ରଜକିଶୋର ଦେବଙ୍କ ଆଦ୍ୟ ସେବକ ଭାବେ ପରିଚିତ।
ଗତ ୨୦୨୩ ମସିହାରୁ ସେ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଅଛନ୍ତି। ଏହି ଖବର ପାଇ ରବିବାର ସନ୍ଧ୍ୟାରେ ସାଂସଦ ବିଭୂପ୍ରସାଦ ତରାଇ ତାଙ୍କ ବାସଭବନରେ ପହଞ୍ଚି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଶୀଘ୍ର ଆରୋଗ୍ୟ କାମନା କରିଥିଲେ।
ଏହି ଅବସରରେ ରାଜା ନିରଞ୍ଜନ ପ୍ରସାଦ ଦାସଙ୍କ ସହ ଆଲୋଚନା କରି ରଥଯାତ୍ରା ଦିନ ଶିଳାନ୍ୟାସ ହୋଇଥିବା ନୂତନ ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ ଖୁବ୍ଶୀଘ୍ର ଆରମ୍ଭ କରାଯାଇ ଶୀଘ୍ର ସମ୍ପୂର୍ଣ୍ଣ କରାଯିବ ବୋଲି ସାଂସଦ ଶ୍ରୀ ତରାଇ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।
ସାଂସଦଙ୍କ ସହ ବାଲିକୁଦା-ଏରସମା ବିଜେପି ନେତା ସତ୍ୟସାରଥି ମହାନ୍ତି, ଜିଲ୍ଲା ବିଜେପି ସଭାପତି ପ୍ରତାପ ମିଶ୍ର, ବିଜେପି ନେତ୍ରୀ ନିରୁପମା ସ୍ୱାଇଁ, ନୃସିଂହ ସାହୁ, ସାଂସଦ ପ୍ରତିନିଧି ଜଟାଧାରୀ ସ୍ୱାଇଁ, ନିରାକାର ସ୍ୱାଇଁ, ଅମରେନ୍ଦ୍ର ଦଳାଇ ଓ ନେତ୍ରାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ରହି ଠାକୁର ରାଜାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।