ପୋଖରୀ ପାଖରେ ଅସ୍ୱଚ୍ଛତାର ରାଜ: ଗୋମାତାଙ୍କ ସୁରକ୍ଷା ଉପରେ ସଙ୍କଟ
ସିନାପାଲି, ୦୫/୦୫ (କଳିଙ୍ଗ ଫୋକସ) ମଳୟ ମେହେର: ନୂଆପଡା ଜିଲ୍ଲାର ସିନାପାଲି ସଦର ଅଞ୍ଚଳରେ ଥିବା ଏକ ପୋଖରୀ କୂଳର ଦୃଶ୍ୟ ବର୍ତ୍ତମାନ ସାଧାରଣ ଲୋକଙ୍କ ମନରେ ଗଭୀର ଚିନ୍ତା ସୃଷ୍ଟି କରିଛି । ଯେଉଁ ଗୋମାତାଙ୍କୁ ଆମେ ପୂଜା କରି ଶ୍ରଦ୍ଧା ଜଣାଉ, ସେହି ଗାଈମାନେ ଆଜି ଅବର୍ଜନା ଓ ପ୍ଲାଷ୍ଟିକ ମଧ୍ୟରେ ଜୀବନ ଯାପନ କରୁଥିବା ଚିତ୍ର ସମାଜର ଏକ କଢ଼ା ସତ୍ୟକୁ ପ୍ରକାଶ କରୁଛି । ପୋଖରୀ ପାଖପାଖି ଅଞ୍ଚଳରେ ପ୍ଲାଷ୍ଟିକ, ପଲିଥିନ, ଖାଦ୍ୟ ଅବଶେଷ ସହ ଅନେକ ପ୍ରକାରର ଅବର୍ଜନା ଛିଟିଯାଇଥିବା ଦେଖାଯାଉଛି । ଏହି ଅସ୍ୱଚ୍ଛ ପରିବେଶ ମଧ୍ୟରେ ଗାଈମାନେ ବସିବା ସହ ଖାଦ୍ୟ ଖୋଜୁଥିବା ଦୃଶ୍ୟ ଦେଖିଲେ ଯେକୌଣସି ସଚେତନ ନାଗରିକଙ୍କ ହୃଦୟ ବିବ୍ରତ ହେବା ସ୍ୱାଭାବିକ । ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ପ୍ଲାଷ୍ଟିକ ଓ ପଲିଥିନ ଗ୍ରହଣ କରିବା ଫଳରେ ଗାଈମାନଙ୍କ ଶରୀରରେ ଗୁରୁତର ସମସ୍ୟା ସୃଷ୍ଟି ହୁଏ, ଯାହା ଅକାଳ ମୃତ୍ୟୁକୁ ମଧ୍ୟ ଆମନ୍ତ୍ରଣ ଦେଉଛି । ସମାଜରେ ଗୋ ସୁରକ୍ଷାକୁ ନେଇ ବହୁତ ଆଲୋଚନା ହୁଏ, ଧାର୍ମିକ ଭାବନାରେ ଗୋମାତାଙ୍କୁ ଉଚ୍ଚ ସ୍ଥାନ ଦିଆଯାଏ । କିନ୍ତୁ ବାସ୍ତବ ଚିତ୍ର ଏହାର ପୂର୍ଣ୍ଣ ବିପରୀତ । କେବଳ କଥାରେ ନୁହେଁ, ପ୍ରାୟୋଗିକ ଭାବେ ଗୋ ସୁରକ୍ଷା ପ୍ରତି ସଚେତନତା ଓ ପଦକ୍ଷେପ ଆବଶ୍ୟକ । ସ୍ଥାନୀୟ ଲୋକମାନଙ୍କ ଅଭିଯୋଗ ଅନୁସାରେ, ପୋଖରୀ କୂଳକୁ ନିୟମିତ ଭାବେ ଆବର୍ଜନା ଫିଙ୍ଗା ଯାଉଥିବାରୁ ପରିବେଶ ଦୂଷିତ ହେଉଛି ଓ ପଶୁମାନଙ୍କ ସ୍ୱାସ୍ଥ୍ୟ ଗଭୀର ସଙ୍କଟରେ ପଡ଼ୁଛି । ଏହାପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଶୀଘ୍ର ସଫାସୁତୁରା ବ୍ୟବସ୍ଥା କରିବା ସହ ଗାଈମାନଙ୍କ ପାଇଁ ସୁରକ୍ଷିତ ଓ ସ୍ୱଚ୍ଛ ପରିବେଶ ସୃଷ୍ଟି କରିବାକୁ ସାଧାରଣରେ ଦାବି ଜୋର ଧରିଛି । ଏହି ପରିସ୍ଥିତି ଆମ ସମସ୍ତଙ୍କୁ ଏକ ସନ୍ଦେଶ ଦେଉଛିଯେ ଗୋମାତାଙ୍କୁ କେବଳ ପୂଜା କଲେ ହେବନି, ସେମାନଙ୍କୁ ସୁରକ୍ଷା ଓ ସମ୍ମାନ ଦେବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ନିତାନ୍ତ ଆବଶ୍ୟକ ।