Header-News-Banner

ସିନାପାଲି ବ୍ଲକ୍‌ରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

0
IMG-20251124-WA0108

ନୂଆପଡ଼ା, ୨୪/୧୧ (ମଳୟ ମେହେର):ଆଜି ସିନାପାଲି ବ୍ଲକ ସଭାଗୃହ ଠାରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ କ୍ଷମାନିଧି ଭୋଇ, ଉପଜିଲ୍ଲାପାଳ ସୁର୍ମି ସୋରେନ୍, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ଧନେଶ୍ୱର ସେଠୀ, ବ୍ଲକ୍ ଅଧ୍ୟକ୍ଷା ମାଧୁରୀ ମାଝୀ, ଉପାଧ୍ୟକ୍ଷା ମୀନା ଘିବେଲା, ବିଡ଼ିଓ କାର୍ମୀ ଓରାମ, ତହସିଲଦାର ଉପାଞ୍ଜଳୀ ମାଝୀ ସହିତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଡେପୁଟୀ କଲେକ୍ଟର ଚିନ୍ମୟ ସାଗର, ଶେଖ୍ ନସୀମ ଓ ହେମନ୍ତ ପୁଟା ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗର ଅଧିକାରୀମାନେ ମୋଟ ୬୪ଟି ଅଭିଯୋଗ ସମାଧାନ ପାଇଁ ଶିବିରରେ ସାମିଲ ହୋଇଥିଲେ । ଶିବିରରେ ଚଟିଆଗୁଡ଼ା ଗାଁର ବୃଦ୍ଧ କୀର୍ତ୍ତନ ବାଗଙ୍କୁ ୧୦,୦୦୦ ଟଙ୍କା ଏବଂ ଗମ୍ଭାରୀଗୁଡ଼ା ଗାଁର ଭିନ୍ନକ୍ଷମା ଭୂମିସୂତା ମେହେରଙ୍କୁ ୫,୦୦୦ ଟଙ୍କା ରେଡକ୍ରସ୍ ପାଣ୍ଠିରୁ ଜିଲ୍ଲାପାଳ ତୁରନ୍ତ ସହାୟତା ପ୍ରଦାନ କରିଥିଲେ ।ଚାରପାଲି ଗାଁର ବୃଦ୍ଧା କ୍ଷମତି ତେଜୀଙ୍କ ଅଭିଯୋଗ, ତାଙ୍କ ପୁଅଙ୍କ ବ୍ୟାଙ୍କ ଋଣ ରହିଥିବାରୁ ହାତୀବନ୍ଧା UGB ବ୍ୟାଙ୍କ୍ ମ୍ୟାନେଜର ତାଙ୍କ ବାର୍ଦ୍ଧକ୍ୟ ଭତ୍ତା ରୋକିଦେଇଛନ୍ତି। ଏଠାରେ କଲେକ୍ଟର ତତ୍କ୍ଷଣାତ୍ ମ୍ୟାନେଜରଙ୍କୁ ବକେୟା ସହିତ ଭତ୍ତା ମୁକ୍ତ କରିବାକୁ ଆଦେଶ ଦେଲେ ଏବଂ ଏହା ତୁରନ୍ତ କାର୍ଯ୍ୟକାରୀ ହେଲା । କୁସୁମଯୋର ସିନାପାଲି କଲେଜ୍ ମଧ୍ୟରେ ସରକାରୀ ବସ୍ ଚଳାଚଳ ପାଇଁ ଛାତ୍ରଛାତ୍ରୀଙ୍କ ଅନୁରୋଧରେ ଜିଲ୍ଲାପାଳ ଏହାକୁ ଶିବିରରେ ଅନୁମୋଦନ କରିଥିଲେ । ସିନାପାଲି ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସା ଜନସମସ୍ୟା ଆଧାରିତ ଅଭିଯୋଗମାନଙ୍କୁ ଶୁଣାଣି କରାଯାଇଥିଲା । ଜନଶୁଣାଣି ଉପଲକ୍ଷେ ଟିମନପୁର ପଞ୍ଚାୟତରେ ଏକ ରକ୍ତଦାନ ଶିବିର ଓ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। ପ୍ରବାସୀ ଶ୍ରମିକ ସମସ୍ୟା ନିରାକରଣ ପାଇଁ ଏକ ସଚେତନତା ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ତରଫରୁ ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ଏକ ପଶୁଚିକିତ୍ସା ଶିବିର ମଧ୍ୟ ଆୟୋଜନ ହୋଇଥିଲା, ଯେଉଁଠାରେ: ୪୪ଟି ବଡ଼ ଓ ୧୭୮ଟି ଛୋଟ ପଶୁପକ୍ଷୀଙ୍କ ଚିକିତ୍ସା, ୧୦୦ଟି ପଶୁଙ୍କ ଟୀକାକରଣ, ୪ଟି ପଶୁଙ୍କ ଇନ୍ସୁରେନ୍ସ କରାଯାଇଥିଲା । ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଶିବିରର ସବିସ୍ତାର ଖବର ସଂଗ୍ରହ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *