ସ୍କୁଟି କୁ ଧକ୍କା ଦେଲା କାର, ଝିଅ ଆଗରେ ଗୁରୁତର ବାପାର ମୃତ୍ୟୁ
ଘଟଗାଁ, ୨୪/୧୧(ତ୍ରିଲୋଚନ ପାତ୍ର) କେନ୍ଦୁଝର ଜିଲ୍ଲାର ୨୦ ନମ୍ବର ଜାତୀୟ ରାଜପଥ ରେ ଏବେ ଦୈନିକ ଦୁର୍ଘଟଣା ଘଟିବାରେ ଲାଗିଛି। ରାସ୍ତା କାମ ପାଇଁ ଠିକା ସଂସ୍ଥା ୪ଲେନ୍ ରାସ୍ତା ର ବିଭିନ୍ନ ସ୍ଥାନରେ ଗୋଟିଏ ପାର୍ଶ୍ୱ ବନ୍ଦ କରି କାମ କରୁଥିବା ବେଳେ ଅନ୍ୟ ପାଶ୍ୱରେ ଦୈନିକ ଛୋଟ ମୋଟ ଦୁର୍ଘଟଣା ଘଟୁଥିବା ଢେଙ୍କିକୋଟରେ ଦେଖିବାକୁ ମିଳୁଛି। ଆଜି ଅପରାହ୍ନରେ ଏହି ଭଳି ଗୋଟିଏ ପାର୍ଶ୍ୱ ରାସ୍ତା ବନ୍ଦ ଥିବା ଯୋଗୁଁ ଢେଙ୍କିକୋଟ ହାଇସ୍କୁଲ ନିକଟରେ ସ୍କୁଟି କୁ ଏକ କାର ଧକ୍କା ଦେଇ ଚାଳିଶ ମିଟର ଯାଏ ଘୋଷାଡି ନେଇଛି। ଦୁର୍ଘଟଣା ରେ ସ୍କୁଟିରେ ଥିବା ବାପା ଓ ଝିଅ ଗୁରୁତର ଆହତ ହୋଇଥିଲେ। ଗୁରୁତର ବାପା ଝିଅ ବାଲେଶ୍ଵର ର କିଶୋର ଚନ୍ଦ୍ର ପଢିଆରି ଓ ଝିଅ ଭାଗ୍ୟଶ୍ରୀ ପଢିଆରି ବୋଲି ଜଣାପଡିଛି।ଉଭୟ ବାପା ଝିଅ କେନ୍ଦୁଝରରୁ ନିଜ ଘର ବାଲେଶ୍ବର କୁ ସ୍କୁଟି ଯୋଗେ ଯାଉଥିଲେ। ଉଭୟଙ୍କ ଅବସ୍ଥା ଗୁରୁତର ଥିବାବେଳେ କିଶୋର ଚନ୍ଦ୍ର ଙ୍କର ଗୋଡ ଭାଙ୍ଗି ଥିଲା । ଉଭୟ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରୁ ଉଭୟ ଙ୍କୁ କେନ୍ଦୁଝର ମେଡିକାଲ କଲେଜ କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଆଜି ସଂଧ୍ୟା ପାଖାପାଖି ଶାଢେ ୭ ଟା ରେ ବାପା କିଶୋର ଚନ୍ଦ୍ର ଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଢେଙ୍କିକୋଟ ପୁଲିସ ଘଟଣାର ତଦନ୍ତ କରିବା ସହ କାର ଓ ସ୍କୁଟି କୁ ଜବତ କରିଛି।