Header-News-Banner

ନୃସିଂହନାଥ ପୀଠରେ ଆୟୁର୍ବେଦିକ ଓପିଡି ଓ ଔଷଧୀୟ ବୃକ୍ଷ ପ୍ରଦର୍ଶନୀ ଉଦଘାଟିତ

0
WhatsApp Image 2026-04-27 at 8.56.10 PM

ପାଇକମାଲ –(ବଂଶୀଧର ନାୟକ )ପବିତ୍ର ନୃସିଂହନାଥ ପୀଠରେ ଅନୁଷ୍ଠିତ ହେଉଥିବା ବୈଶାଖ ମେଳା-୨୦୨୬ ଅବସରରେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ବରଗଡ଼ ଅତିରିକ୍ତ ଜିଲ୍ଲାପାଳ (ADM) ଶ୍ରୀଯୁକ୍ତ ସରୋଜିନୀ ପ୍ରସନ୍ନ କୁଲ୍ଲୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ଦିର ପରିସରରେ ଏକ ‘ଆୟୁର୍ବେଦିକ ଓପିଡି’ (Ayurvedic OPD) ଏବଂ ଔଷଧୀୟ ଚାରା ବିତରଣ କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।
ଗନ୍ଧମାର୍ଦ୍ଧନ ପର୍ବତର ପାଦଦେଶରେ ଅବସ୍ଥିତ ଏହି ଐତିହାସିକ ପୀଠରେ ଆୟୋଜିତ ଏହି ପ୍ରଦର୍ଶନୀ ମାଧ୍ୟମରେ ଆୟୁର୍ବେଦିକ ଚିକିତ୍ସା ଓ ଔଷଧ ରୋଗୀଙ୍କୁ ବିନା ମୂଲ୍ୟରେ ଡାକ୍ତରଙ୍କ ଦ୍ୱାରା ପ୍ରଦାନ କରାଯିବ।
ଏହା ଛଡା ଔଷଧୀୟ ଚାରା ବିତରଣ କେନ୍ଦ୍ରରେ ଶୁଳ୍କ ବିରଳ ଔଷଧୀୟ ଗୁଳ୍ମ ଓ ଚେରମୂଳିର ଚିହ୍ନଟ ତଥା ଏହାର ଉପକାରିତା ବିଷୟରେ ସାଧାରଣ ଜନତାଙ୍କୁ ଅବଗତ କରାଯାଉଛି। ଏହି ପଦକ୍ଷେପ ଦ୍ୱାରା ପାରମ୍ପରିକ ଆୟୁର୍ବେଦିକ ଜ୍ଞାନର ସଂରକ୍ଷଣ ସହ ଶ୍ରଦ୍ଧାଳୁମାନେ ସ୍ୱାସ୍ଥ୍ୟ ସେବା ପାଇପାରିବେ।
ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ଆୟୁର୍ବେଦିକ ସ୍ୱାସ୍ଥ୍ୟ ଅଧିକାରୀ ଡ. ଲକ୍ଷ୍ମୀ ଶ୍ରୀୟା ବେହେରା, ପଦ୍ମପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ (SDIPRO) ସନତ ପାଢ଼ୀ ଏବଂ ପଦ୍ମପୁର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ABDO) ଦେବାଶିଷ୍ ସିହ୍ନା ଏବଂ ଅନ୍ୟାନ୍ୟ ଡାକ୍ଟର ଉପସ୍ଥିତ ଥିଲେ। ମେଳା ସମୟରେ ପରିଦର୍ଶକଙ୍କୁ ସୂଚନା ପ୍ରଦାନ କରିବା ପାଇଁ ସେଠାରେ ବିଶେଷଜ୍ଞ ଏବଂ ଅଭିଜ୍ଞ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ବୈଶାଖ ମେଳା ଏପ୍ରିଲ ୨୬ ରୁ ଆରମ୍ଭ ହୋଇ ମେ’ ୦୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ଶ୍ରଦ୍ଧାଳୁମାନେ ମାଗଣାରେ ଏହି ଆୟୁର୍ବେଦିକ ସେବା ତଥା ପ୍ରଦର୍ଶନୀର ଲାଭ ଉଠାଇବା ପାଇଁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *