Header-News-Banner

ଵୀରଭଦ୍ର ନୋଡାଲ ବିଦ୍ୟାପୀଠର ‘ହୀରକ ଜୟନ୍ତୀ’:

0
IMG-20260330-WA0042

ଶିକ୍ଷାର ବିକାଶ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ପ୍ରତିଶ୍ରୁତି।

କାକଟପୁର : (୩୦/୦୩) କାକଟପୁର ବ୍ଲକ ଅଧିନସ୍ଥ ବାଙ୍ଗୁରିଗାଁ ଠାରେ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ‘ବୀରଭଦ୍ର ନୋଡାଲ ବିଦ୍ୟାପୀଠ’ ନିଜର ଗୌରବମୟ ଭବ୍ୟ ‘ହୀରକ ଜୟନ୍ତୀ’ ସମାରୋହ ପାଳନ କରିଛି। ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ଉତ୍ସବରେ ସ୍ଥାନୀୟ ଜନସାଧାରଣ, ପୁରାତନ ଛାତ୍ରଛାତ୍ରୀ ଏବଂ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସମାଗମ ହୋଇଥିଲା। ଉତ୍ସବର ମୁଖ୍ୟ ଆକର୍ଷଣ ଭାବେ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ।ବିଦ୍ୟାଳୟର ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରାଙ୍କ ସମେତ ଜିଲ୍ଲା ଓ ବ୍ଲକ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ବିକାଶର ସଂକଳ୍ପ ନେଇ ବିଦ୍ୟାଳୟର ଭିତ୍ତିଭୂମି ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ସହ ଏହାର ତ୍ୱରିତ ସମାଧାନ ପାଇଁ ବିଦ୍ୟାଳୟ ପରିସରରେ ଏକ ମିନି ଷ୍ଟାଡିୟମ ଏବଂ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଅତିଥିମାନଙ୍କ ଅଭିଭାଷଣରେ ଶିକ୍ଷା କ୍ଷେତ୍ରରେ ବିଦ୍ୟାପୀଠର ଐତିହ୍ୟକୁ ବଜାୟ ରଖିବା ସହ ଛାତ୍ରଛାତ୍ରୀଙ୍କୁ ସ୍ୱାବଲମ୍ବୀ କରିବା ଉପରେ ଅତିଥିମାନେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏହି ଅବସରରେ କୃଷ୍ଣ ନାୟକଙ୍କ ସମ୍ପାଦନାରେ ପ୍ରକାଶିତ ବିଦ୍ୟାଳୟର ସ୍ମରଣିକା ‘ମହକ-୨’ କୁ ଆମନ୍ତ୍ରିତ ଅତିଥି ମାନେ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ମାନପତ୍ର ଓ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ। ଆୟୋଜିତ ଉତ୍ସବରେ କାକଟପୁର ବିଧାୟକ ଶ୍ରୀଯୁକ୍ତ ତୁଷ।ରକାନ୍ତି ବେହେରା, ପୁରୀ ଜିଲ୍ଲା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, ଜଗତସିଂହପୁର ଲୋକସଭା ସାଂସଦଙ୍କ ପୁରୀ ଜିଲ୍ଲା ପ୍ରତିନିଧି ସୁଦର୍ଶନ ସ୍ୱାଇଁ, ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢୀ, ବ୍ଲକ ଶିକ୍ଷାଧିକାରୀ ଶ୍ରୀକାନ୍ତ ସାଇଁ, ବିଡିଓ ନାରାୟଣ ଦୀକ୍ଷିତ ଏବଂ ବିଦ୍ୟାଳୟର ପ୍ରଥମ ପ୍ରଧାନଶିକ୍ଷକ ତ୍ରିଲୋଚନ ସାହୁଙ୍କ ସମେତ ଅନେକ ବିଦ୍ୟାପ୍ରେମୀ ଏହି ଉତ୍ସବର ଶୋଭା ବଢ଼ାଇଥିଲେ।ଏହି ହୀରକ ଜୟନ୍ତୀ କେବଳ ଏକ ଉତ୍ସବ ନୁହେଁ, ବରଂ ଏହି ଅଞ୍ଚଳର ଶିକ୍ଷା ଓ ସଂସ୍କୃତିର ଏକ ବିରାଟ ସଫଳତା ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *