ଓଡ଼ିଶାରେ ଓବିସି, ଛତିଶଗଡ଼ରେ ଆଦିବାସୀ:
ପରିଚୟ ପାଇଁ ସଂଘର୍ଷ, ପହରିଆଙ୍କ ଭବିଷ୍ୟତ ଅନିଶ୍ଚିତ
ନୂଆପଡ଼ା, ୨୭/୦୪ (କଳିଙ୍ଗ ଫୋକସ) ମଳୟ ମେହେର: ନୂଆପଡ଼ା ଜିଲ୍ଲାର ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ବସବାସ କରୁଥିବା ପହରିଆ ସମ୍ପ୍ରଦାୟ ଆଜି ଗଭୀର ପରିଚୟ ସଂକଟରେ ପଡ଼ିଛନ୍ତି । ଗୋଟିଏ ଜୀବନ ଶୈଳୀ, ଗୋଟିଏ ସଂସ୍କୃତି ଓ ପରମ୍ପରା ସତ୍ତ୍ୱେ ରାଜ୍ୟ ସୀମା ପାର ହେଲେ ସେମାନଙ୍କ ମାନ୍ୟତା ବଦଳିଯାଉଛି । ଓଡ଼ିଶାରେ ସେମାନେ ଓବିସି ଭାବେ ଗଣ୍ୟ, ଯେତେବେଳେ ପାଖପାଖି ଛତିଶଗଡ଼ରେ ସେମାନେ ଆଦିବାସୀ ଭାବେ ସ୍ୱୀକୃତ । ଏହି ବିସଙ୍ଗତି ପହରିଆଙ୍କ ଭବିଷ୍ୟତକୁ ଅନିଶ୍ଚିତତାରେ ଫେଲାଇଦେଇଛି । ସୁନାବେଡ଼ାର ଘନ ଜଙ୍ଗଲ ମଧ୍ୟରେ ପ୍ରାୟ ୧୦ ହଜାର ପହରିଆ ବସବାସ କରୁଛନ୍ତି । କୋମନା, ନୂଆପଡ଼ା ଓ ସିନାପାଲି ବ୍ଲକର ବିଭିନ୍ନ ଅଞ୍ଚଳରେ ସେମାନଙ୍କ ପ୍ରସାର ଦେଖାଯାଏ । ପାହାଡ଼-ଜଙ୍ଗଲ ଘେରା ପରିବେଶରେ ସେମାନଙ୍କ ଜୀବନ ଶୈଳୀ ସରଳ ଓ ପ୍ରାକୃତିକ । ବାଉଁଶ ଶିଳ୍ପ ହେଉଛି ସେମାନଙ୍କର ପ୍ରଧାନ ଜୀବିକା । ଡାଲା, କୁଲା, ଟୁପଲି, ଝାପ ଭଳି ଘରୋଇ ସାମଗ୍ରୀ ତିଆରି କରି ସେମାନେ ଜୀବନ ଯାପନ କରନ୍ତି । କିନ୍ତୁ ଆଧୁନିକତାର ପ୍ରଭାବରେ ପ୍ଲାଷ୍ଟିକ ଓ ଷ୍ଟିଲ ପଦାର୍ଥର ବ୍ୟବହାର ବଢ଼ିବା ସହିତ ବାଉଁଶ ଶିଳ୍ପର ଚାହିଦା କମିଯାଉଛି । ଜଙ୍ଗଲରେ ବାଉଁଶ ଅଭାବ ମଧ୍ୟ ଏହାକୁ ଆହୁରି ଜଟିଳ କରିଛି । ଫଳରେ ପହରିଆଙ୍କ ପାରମ୍ପରିକ ବୃତ୍ତି ଅସ୍ତିତ୍ୱ ସଙ୍କଟରେ ପଡ଼ିଛି । ସରକାରୀ ମାନ୍ୟତାର ଭିନ୍ନତା ଏହି ସମସ୍ୟାକୁ ଆହୁରି ଗୁରୁତର କରିଛି । ଛତିଶଗଡ଼ରେ ଆଦିବାସୀ ମାନ୍ୟତା ପାଇଥିବାରୁ ସେଠାରେ ପହରିଆମାନେ ବିଭିନ୍ନ ସରକାରୀ ସୁବିଧା ଲାଭ କରୁଥିବା ବେଳେ ଓଡ଼ିଶାରେ ସେହି ସୁଯୋଗରୁ ବଞ୍ଚିତ । ଏହାର ପରିଣାମରେ ଅନେକ ଭଲ ସୁବିଧାର ଆଶାରେ ଛତିଶଗଡ଼କୁ ପ୍ରବାସ କରୁଛନ୍ତି, ଯାହା ଏହି ସମ୍ପ୍ରଦାୟର ଅସ୍ତିତ୍ୱକୁ ବିପଦରେ ପକାଇଛି । ଦୀର୍ଘଦିନ ଧରି ପହରିଆମାନେ ଆଦିବାସୀ ମାନ୍ୟତା ପାଇଁ ଦାବି କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ଯଥୋଚିତ ପଦକ୍ଷେପ ନେଇଯାଇନାହିଁ । ବିଶେଷଜ୍ଞମାନଙ୍କ ମତରେ, ସେମାନଙ୍କ ଜୀବନ ଶୈଳୀ ଓ ସାମାଜିକ ଗଠନ ଆଦିବାସୀ ଶ୍ରେଣୀ ସହ ସମାନତା ରଖେ । ଏହି ପରିସ୍ଥିତିରେ ସରକାରଙ୍କ ଦ୍ୱାରା ଏକ ସମନ୍ୱିତ ଓ ସଂବେଦନଶୀଳ ନୀତି ଗ୍ରହଣ ଅତ୍ୟାବଶ୍ୟକ । ପହରିଆଙ୍କୁ ଯଥୋଚିତ ସ୍ୱୀକୃତି ଦେବା ସହିତ ସେମାନଙ୍କର ପାରମ୍ପରିକ ବୃତ୍ତିକୁ ସୁରକ୍ଷା ଓ ପ୍ରୋତ୍ସାହନ ଦେବା ଆବଶ୍ୟକ । ନହେଲେ ଏକ ପୁରାତନ ସମ୍ପ୍ରଦାୟର ଅସ୍ତିତ୍ୱ ହରାଇବାର ଆଶଙ୍କା ରହିଛି । ପହରିଆମାନଙ୍କ ଆକାଂକ୍ଷା ସରଳ, ସମାନତା, ସ୍ୱୀକୃତି ଓ ନ୍ୟାୟ ।
( Special )